ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନୂଆ ଉପଖଣ୍ଡ ଡାକ୍ତରଖାନାରେ ଏବେ ରୋଗୀଙ୍କ ଚିକିତ୍ସା ସେବା ଚାଲିଛି । ଲୋକଙ୍କୁ ଉତ୍ତମ ମାନର ଚିକିତ୍ସା ଯୋଗାଇଦେବା ପାଇଁ ସହରରୁ ତିନି କିଲୋମିଟର ଦୂର ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାର ଗଙ୍ଗାସାଗର ନିକଟରେ ନୂଆ ଡାକ୍ତରଖାନା ଆରମ୍ଭ ହୋଇଛି । ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୨୦୨୪ ରେ ଉଦ୍ଘାଟନ କରିଥିଲେ । ବର୍ଷେ ପରେ ଡିସେମ୍ବର ୨୦୨୫ ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ତଥାପି ପୁରୁଣା ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଶିଶୁ ରୋଗ ବିଭାଗ ଚାଲୁଥିଲା । ଗତ ୫-୬ ମାସ ତଳେ ନୂତନ ଡାକ୍ତରଖାନା ପରିସରରେ ଥିବା କୋଠାକୁ ଏହି ଦୁଇଟି ବିଭାଗକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରାଯାଇଛି । ଏବେ ଡାକ୍ତରଖାନାରେ ସବୁ ବିଭାଗ ରହିଥିବା ବେଳେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ଡାକ୍ତରଖାନା ନିଛାଟିଆ ସ୍ଥାନରେ ଥିବାରୁ ଲୋକେ ରାତିରେ ଯିବାଆସିବା କରିବାକୁ ସୁରକ୍ଷିତ ମାନୁ ନାହାନ୍ତି । ଏଭଳି ସ୍ଥିତିରେ ରାସ୍ତାଟି ଅନ୍ଧାର ରହୁଥିବାରୁ ଲୋକଙ୍କ ଭୟ ଲାଗି ରହୁଛି । ନାୟାରା ପେଟ୍ରୋଲ ପମ୍ପଠାରୁ ବଥର୍ଲା ଛକ ପର୍ଯ୍ୟନ୍ତ ଏନଏସି ପକ୍ଷରୁ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଯେଉଁ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ବଥର୍ଲା ଛକଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଜଳୁଛି । ତାହା ପୁଣି ସବୁଦିନ ଜଳୁନାହି । କିନ୍ତୁ ଆଶ୍ଚର୍ଯ୍ୟର କଥା କୋଟି କୋଟି ଟଙ୍କା ଖର୍ଚ୍ଚକରି ଏହି ନୂତନ ଡାକ୍ତରଖାନାଟି ମୁଖ୍ୟ ରାସ୍ତାରୁ ମାତ୍ର ଦୁଇ-ତିନି ଶହ ମିଟର ଦୂରରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଠାକୁ ଯିବାକୁ ଥିବା ରାସ୍ତାରେ ଗୋଟିଏ ହେଲେ ବି ଷ୍ଟ୍ରିଟ ଲାଇଟ୍ ଲାଗିପାରି ନାହିଁ । ଅନ୍ଧାରୁଆ ରାସ୍ତାରେ ପ୍ରାୟ ରାତିରେ ଅନେକ ସମୟରେ ବିଷାକ୍ତ ସାପ ମଧ୍ୟ ଦେଖିବାକୁ ମିଳୁଛି ଯାହାଦ୍ୱାରା ରୋଗୀ ତଥା ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ଦାବି ହେଉଛି ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *