ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଥିବାବେଳେ ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମୌସୁମୀ ଆସିବା ପରେ ଲୋକେ ଏଥିରୁ ଟିକେ ଆଶ୍ୱସ୍ତି ପାଇବେ ବୋଲି ଆକଳନ କରାଯାଉଛି।ଶନିବାରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ୧୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସୂଚନା ଦିଆଯାଇଥିବାବେଳେ ଶୁକ୍ରବାର ୧୧ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବା ନେଇ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ଗରମ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ତଳକୁ ତାଳଚେରରେ ୪୧.୫ ଡିଗ୍ରୀ, ହୀରାକୁଦ ୪୧, ବଲାଙ୍ଗୀର ଓ ସମ୍ବଲପୁର ୪୦.୮, ଅନୁଗୋଳ ୪୦.୭, ବରଗଡ଼ ୪୦.୪, ଢେଙ୍କାନାଳ ୪୦.୩, ନୟାଗଡ଼ ଓ ବୌଦ୍ଧ ୪୦ ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଥିଲା।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *